Tag: christian song lyrics

  • aaha kede korunaa helaa moro upore

    ଆହା କେଡ଼େ କରୁଣା ହେଲା ମୋର ଉପରେ,
    ବର୍ଣ୍ଣିବି କି ତାହା ମୋର ଏହି ଛାର ମୁଖରେ । ଘୋଷା ।

    ମରି ପାପ ଅଧର୍ମରେ ଥିଲି କବର ମଧ୍ୟରେ,
    ଉଠିଅଛି ପାଇ ନୂଆ ଜୀବନ ମୁଁ ଧର୍ମରେ । ୧ ।

    ଥିଲି ମୁହିଁ ବନ୍ଦୀପଣେ ଶୟତାନ ଜଞ୍ଜିରେ,
    ସେ ବନ୍ଧନ ହୋଇ ମୁକ୍ତ ପକାଗଲା ଦୂରରେ । ୨ ।

    ଯାଉଥିଲି ଧାଇଁ ମୁହିଁ ସର୍ବନାଶ ପଥରେ,
    ଫେରିଅଛି ଏବେ ମୁହିଁ ଜୀବନର ପଥରେ । ୩ ।

    ଥିଲା କେଡ଼େ ପାପ ବୋଝ ମୋର ମୁଣ୍ଡ ଉପରେ,
    ଦେଖି ସେ କାଲବରୀ କ୍ରୁଶ ପଡ଼ିଗଲା ତଳରେ । ୪ ।

    ଥିଲି ମୁହିଁ ଶାପଗ୍ରସ୍ତ ଈଶ୍ୱରଙ୍କ ଦୃଷ୍ଟିରେ,
    ମିଶିଅଛି ଏବେ ତାଙ୍କ ପରିବାର ମଧ୍ୟରେ । ୫ ।

    କହଇ ମୁହିଁ ପାପୀଷ୍ଠ ମହାନନ୍ଦ ଚିତ୍ତରେ,
    ପାଇଛି ଏସବୁ ମୁହିଁ ଖ୍ରୀଷ୍ଟ-ପ୍ରାୟଶ୍ଚିତ୍ତରେ । ୬ ।

  • kede ananda janmayi swarga pure

    କେଡ଼େ ଆନନ୍ଦ ଜନ୍ମଇ ସ୍ୱର୍ଗପୁରେ
    ମନ ଫେରାଇଲେ ଜଣେ ପାପୀ ମର୍ତ୍ତ୍ୟରେ । ଘୋଷା ।

    ହଜାମେଷ ଯେତେବେଳେ ଆସେ ପାଳକ ପାଶରେ ତେଜି ତାର ବିପଥ ଗତି
    ମନେ ପାଏ କି ଶାନ୍ତି ! ଯାଏ ସକଳ ଭ୍ରାନ୍ତି,
    ଦୂତଗଣ ଆନନ୍ଦିତ ଦେଖି ସ୍ୱର୍ଗରେ । ୧ ।

    ଯେତେବେଳେ ଅପବ୍ୟୟୀ ଆସେ ବିଦେଶରୁ ଧାଇଁ
    କରିଣ ପ୍ରାର୍ଥନା କ୍ରନ୍ଦନ ଦେଖି ପିତା କି ହୃଷ୍ଟ ! କରେ ଉତ୍ସବ ନୃତ୍ୟ,
    ସେ ଦିନ ମହା ଆନନ୍ଦ ହୁଏ ସ୍ୱର୍ଗରେ । ୨ ।

    ଯେ ଦିନେ ଜଣେ ପାପିଷ୍ଠ ତେଜିଣ ନିଜ କୁବାଟ
    ପିତା ସଙ୍ଗେ କରେ ନିୟମ, ସର୍ବାଗ୍ରେ ଯୀଶୁ ନାମ କରଇ ଆଲିଙ୍ଗନ,
    ସେ ଦିନ ମହା ଆନନ୍ଦ ହୁଏ ସ୍ୱର୍ଗରେ । ୩ ।

    ପାପୀର ଫେରଣ ଦିନ ଯେଉଁ ଆନନ୍ଦ ଉତ୍ପନ୍ନ କିଏ ତାହା ପାରଇ ବର୍ଣ୍ଣି !
    ସେ ଦିନ କି ଆନନ୍ଦ, କରନ୍ତି ସାଧୁବୃନ୍ଦ
    ସେ ଦିନ ଆନନ୍ଦ ଗାନ ହୁଏ ସ୍ୱର୍ଗରେ । ୪ ।

  • kimpaa no phero paapu

    କିପାଁ ନ ଫେରୁ ପାପୁଁ ଆହେ ବନ୍ଧୁ ଏହିକ୍ଷଣ ?
    ଯାଉଛି ଶୁଭ ସମୟ ତୁମ୍ଭ ନିକଟୁ ବହନ । ଘୋଷା ।

    ପାପ କର୍ମର ଏ ଫଳ ଅନନ୍ତ ନରକାନଳ
    ସବୁ ପାପୀ ଦୂରାଚାରୀ ଭୋଗିବେ ଘୋର ଯାତନ । ୧ ।

    ଦେଖ ମନ ବିଚାରିଣ ନରକ କେମନ୍ତ ସ୍ଥାନ !
    ସଦା ଦୁଃଖ, ନାହିଁ ସୁଖ ଲେଶମାତ୍ର ଭୋକ୍ତମାନ । ୨ ।

    କିପାଁ ଆହେ ପାପୀ ଭାଇ ଆତ୍ମାକୁ ପାପେ ହଜାଇ
    ଯାଉଛ ଏମନ୍ତ ସ୍ଥାନେ ହୋଇ ଅତି ଧାବମାନ ?

    ଫେର, ଫେର, ଏବେ ଫେର, ଆଉ ପାପେ ହିଁ ନ ଚାଲ,
    କିପାଇଁ ମରିବ ପାପେ ହୋଇ ଏଡ଼େ ବୁଦ୍ଧିହୀନ ?

    ଏବେ ହେଁ ଶୁଭ ସମୟ, ମିଥ୍ୟାରେ ନ କର ବ୍ୟୟ
    ନିଜ ଆତ୍ମା ପରିତ୍ରାଣ କର ଯତ୍ନେ ଅନ୍ୱେଷଣ । ୫ ।

    ଯୀଶୁ ପତିତତାରଣ, ତାଙ୍କ ବିନୁ ନାହିଁ ଆନ,
    ଆହେ ପାପୀ, ତାଙ୍କ ଆଶ୍ରା ଧର ହେ ଅତି ବହନ । ୬ ।

    ନେଲେ ତାଙ୍କର ଶରଣ ନିଶ୍ଚେ ହେବ ପରିତ୍ରାଣ,
    କରିବ ଅନନ୍ତକାଳ ସ୍ୱର୍ଗସୁଖ ଭୋକ୍ତାମାନ । ୭ ।

  • khristonko bhojono binaa golaa dino bohi

    ଖ୍ରୀଷ୍ଟଙ୍କ ଭଜନ ବିନା ଗଲା ଦିନ ବହିରେ । ଘୋଷା ।

    ନାନା ମନ୍ଦ କର୍ମ କରୁ ପାପ ବୋଲି ନ ବିଚାରୁ,
    ଦେଖ ପ୍ରଖର ଅନଳ ନରକ ଜ୍ୱଳଇରେ । ୧ ।

    ଧୂଳିରୁ ଉତ୍ପନ୍ନ ହୋଇ ଧୂଳିରେ ଯିବୁ ମିଳାଇ,
    ଆତ୍ମା ଛାଡ଼ିଗଲେ କେହି ସଙ୍ଗୀ ହେବେ ନାହିଁରେ । ୨ ।

    ଆରେ ମନ ଶୀଘ୍ର ଶୀଘ୍ର ଆତ୍ମାର ପାପର ଦାଗ,
    ଖ୍ରୀଷ୍ଟଙ୍କ ରକ୍ତ ଦାନରେ ପକାଅ ତୁ ଧୋଇରେ । ୩ ।

    ଖ୍ରୀଷ୍ଟ ଯୀଶୁରେ ବିଶ୍ୱାସ କରି ପାପ କର ନାଶ,
    ଅବଶ୍ୟ ଦିନେ ମରିବୁ ନ ରଖିବେ କେହିରେ । ୪ ।

  • kaha thaaku probhu jibi kaa thaku

    କାହାଠାକୁ ପ୍ରଭୁ ଯିବି କା’ଠାକୁ, ତୁମ୍ଭ ବିନା ଯିବି ମୁଁ କେଉଁଠାକୁ ?

    ତୁମ୍ଭ ଶ୍ରୀବଚନ ଅନନ୍ତ ଜୀବନ, କେଡ଼େ ସୁମିଷ୍ଟ ଲାଗେ ମୋ ମନକୁ । ଘୋଷା ।

    ତୁମ୍ଭେ ଅମରେଶ୍ୱରଙ୍କ ତନୟ, ମର୍ତ୍ତ୍ୟପୁରେ ହୋଇଅଛ ଉଦୟ,

    ଏହା ପ୍ରତ୍ୟୟରେ ଜାଣେ ନିଶ୍ଚୟରେ, ତେବେ କିପାଁ ଯିବି ମୁଁ ଅନ୍ୟଠାକୁ ?

    ଆରୋଗ୍ୟକାରୀ କିରଣବିଶିଷ୍ଟ, ଉଦୟ ହୋଇଛ ତୁମ୍ଭେ ହେ ଖ୍ରୀଷ୍ଟ,

    ଛାଡ଼ି ମୁଁ ତୁମ୍ଭଙ୍କୁ ଯିବି କାହାଠାକୁ, ଯିବି କି ଫାରୁଶୀମାନଙ୍କଠାକୁ ?

    ତୁମ୍ଭେ ଶୁଷ୍କଭୂମିରେ ଜଳସ୍ରୋତ, କ୍ଳାନ୍ତ ଜନ ପ୍ରତି ଅଟ ପର୍ବତ,

    ଜଳପାନ ହେତୁ ଯିବି କାହାଠାକୁ, ଛାୟା ହେତୁ ଯିବି କା’ ଉହାଡ଼କୁ ? । 

     

    ବ୍ୟବସ୍ଥା ଭବିଷ୍ୟଦ୍ ବଚନ ସାର, ତୁମ୍ଭେ ଅଟ ହେ ଈଶ୍ୱର କୁମର,

    ଛାଡ଼ି ମୁଁ ତୁମ୍ଭଙ୍କୁ ଯିବି କାହାଠାକୁ, କେହି ନ ଦିଶଇ ମୋର ଚକ୍ଷୁକୁ । ୪ । 

     

    ତୁମ୍ଭେ ପାପବାହକ ଯୁବାମେଷ, ଭୋଗିଅଛ ମୋର ସନ୍ତାପ କ୍ଳେଶ,

    ତେବେ ମୁଁ କିପାଇଁ ପାପ ବୋଝ ବହି, ପାପ-ସ୍ରୋତେ ଭାସିଯିବି ନର୍କକୁ । ୫ ।

     

     ଅଇଲେ କ୍ଳେଶ ପରୀକ୍ଷା ନିକଟେ, ଅଥବା ପଡ଼ିଲେ ଘୋର ସଙ୍କଟେ,

    ତବ ଶ୍ରୀଛାମୁଁକୁ ଟାଣ ମୋ ମନକୁ, ତୁମ୍ଭ ବିନା ନ ଯିବି ଅନ୍ୟଠାକୁ । ୬ ।

  • dekho probhu jishu khristo porire

    ଦେଖ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରିରେ

    ନ ମିଳଇ ତ୍ରାଣକର୍ତ୍ତା ସଂସାରେ,

    କେହି ନାହିଁ କରି ତାଙ୍କ କ୍ରିୟା ପାରି ଜଗତ ଜନଙ୍କ ମଧ୍ୟରେ । ଘୋଷା । 

     

    ସେ ଦୟା ସାଗର ଈଶ୍ୱର କୁମର ସ୍ୱର୍ଗୁ ଅଇଲେ ନରାକାରେ,

    ଭ୍ରମି ନାନା ଦେଶ ଦେଲେ ଉପଦେଶ ହିତ ଚେଷ୍ଟା କଲେ ନିତ୍ୟରେ । ୧ ।

     

     ପାପୀଙ୍କ କାରଣ ହେଲେ ଦୀନହୀନ, ପ୍ରାୟଶ୍ଚିତ୍ତ କଲେ କ୍ରୁଶରେ,

    ପାପୀଙ୍କର ମହାପାପ ଋଣସବୁ ଶୁଝିଲେ ନିଃଶେଷ ରୂପରେ । ୨ । 

     

    ହୋଇଣ ଧାର୍ମିକ ଭୋଗିଲେ କି ଦୁଃଖ, ହୋଇଲେ ବ୍ୟାକୁଳ ପ୍ରାଣରେ,

    ପାପୀଙ୍କ କାରଣ ଦାରୁଣ କଷଣ ଯାତନା ଭୋଗିଲେ ଶରୀରେ । ୩ । 

     

    ହସ୍ତ ପାଦେ କଣ୍ଟା ମାରଣର ବ୍ୟଥା, କଣ୍ଟାର ମୁକୁଟ ମୁଣ୍ଡରେ,

    ପଡ଼ିଲା ତାଙ୍କର ଅମୂଲ୍ୟ ରୁଧିର ଧାର ଧାର ହୋଇ ଭୂମିରେ । ୪ । 

     

    କେଡ଼େ ଦୟାଶୀଳ ସେ ଯୀଶୁ ଈଶ୍ୱର, ମଲେ ପାପୀଙ୍କର ବଦଳେ,

    ପୁଣି ଦୟା ବହି ଡାକୁଛନ୍ତି ସେହି, ଆସ ଆସ ପାପୀ ଶୀଘ୍ରରେ। 

     

    ଏଣୁ ଭାଇ, ମିଥ୍ୟା ଆଶ୍ରା ଛାଡ଼ି ଦେଇ ଭରସା ରଖହେ ତାଙ୍କରେ,

    ଆତ୍ମା ପରିତ୍ରାଣ କେବଳ ପ୍ରାପଣ ଯୀଶୁ ଖ୍ରୀଷ୍ଟଙ୍କ ମରଣରେ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • naahin kaahin re goti mukti jaanore

    ନାହିଁ କାହିଁରେ ଗତି ମୁକ୍ତି ଜାଣରେ,

    ଯୀଶୁ ବିନା ପାପୀର ଆନରେ । ଘୋଷା ।

    ଯୀଶୁ ପରମେଶ୍ୱର   ସତ୍ୟ ପଥ ସ୍ୱର୍ଗର

    ପାପୀ ପାଇଁ ସେ ଦେଲେ ପ୍ରାଣରେ । ୧ ।

    ସ୍ୱର୍ଗରୁ ସେ ଆସିଲେ,      କ୍ରୁଶେ ପାପ ନାଶିଲେ

    କରି ନିଜକୁ ବଳିଦାନରେ । ୨ ।

    ସେ ମହା ପ୍ରାୟଶ୍ଚିତ୍ତ, ପାପୀର ମୁକ୍ତିବିତ୍ତ 

    ବିନା ମୂଲ୍ୟେ କରିଲେ ଦାନରେ । ୩ ।

    ଧର ଯୀଶୁ ପୟର,    ତାହାଙ୍କୁ ସେବା କର

    ତାଙ୍କ କ୍ରୁଶରେ ରଖ ଧ୍ୟାନରେ । ୪ ।

    ତାଙ୍କୁ କର ଅର୍ପଣ    ଦେହ ଆତ୍ମା ଜୀବନ,

    ତାଙ୍କ ପ୍ରଶଂସା କର ଗାନରେ । ୫ ।

    କାୟମନୋବାକ୍ୟରେ ପ୍ରେମ ଭକ୍ତି ଭୟରେ

    ତାଙ୍କ ସକଳ ଆଜ୍ଞା ମାନରେ । ୬ ।

  • ନାହିଁ ନାହିଁ ନାହିଁ ଅନ୍ୟ ଗତି, ମନ, nahi nahi nahi anyo goti

    ନାହିଁ ନାହିଁ ନାହିଁ ଅନ୍ୟ ଗତି, ମନ,

    କର ଯୀଶୁ ଖ୍ରୀଷ୍ଟଙ୍କ ସଙ୍ଗେ ପ୍ରୀତି । ଘୋଷା । 

     

    ସେ ଯୀଶୁ ବହୁମୂଲ୍ୟ ସୁନ୍ଦର ଅତି,

    ତାଙ୍କ ପ୍ରେମରେ ଡୁବ ଦିବାରାତି । ୧ । 

     

    ଯେ ଯୀଶୁ ପ୍ରାଣପତି ଦିଅନ୍ତି ଶାନ୍ତି,

    ତାଙ୍କୁ ସମର୍ପି ଦେହ ପ୍ରାଣ ଶକ୍ତି । ୨ ।

    ତାଙ୍କ ବିନା ଅସାର ଧନ ସଂସାର,

    ତାଙ୍କ ବିହୁନେ ନାହିଁ ଆତ୍ମା ତୃପ୍ତି । ୩ ।

    ଆହ କି ମନୋହର ଯୀଶୁ ମୋ ପ୍ରତି,

    ନାହିଁ ଅନ୍ୟରେ ତାଙ୍କ ବିନା ମତି । ୪ । 

     

    ମୋହର ଦେହ ପ୍ରାଣ ଶକ୍ତି ଜୀବନ,

    ସର୍ବ ସମର୍ପି ଧ୍ୟାଇବି ମୁଁ ନିତି । ୫ ।

  • ଦୁଃଖନାଶନ ହେ, ସୁଖ ଦିଅ ମୋର ମନେ, dukho naasono hai sukho diyo moro mone

    (ସ୍ୱର : ମନ ହେଜିଲେ ପ୍ରଭୁ କୃପା)

    ଦୁଃଖନାଶନ ହେ, ସୁଖ ଦିଅ ମୋର ମନେ,

    ବେଳକୁ ବେଳ ତ ପ୍ରବଳି ଉଠଇ ଦୁଃଖ ତରଙ୍ଗ ଯେସନେ । ଘୋଷା ।

    ଦୁଃଖର ସଂସାରେ ମାନବ ଶରୀରେ ସଙ୍ଗେ ସଙ୍ଗେ ଛାୟା ସମ

    ଅପାର କଷଣ ଦୁଃଖାଦି ମରଣ ଲାଗିଥାଏ ଅନୁକ୍ଷଣ । ୧ ।

    ମହୀପରେ ମୁହିଁ ସହି ନ ପାରଇ ଶରୀର ଯାତନାମାନ

    ମୁହିଁ ନିରାଶ୍ରୟ, ହୁଅ ମୋ ସହାୟ, ଆହେ ଆରତ-ଭଞ୍ଜନ । ୨ । 

     

    ମୋର ନାହିଁ ଗୁଣ ଜ୍ଞାନ ଧର୍ମ କର୍ମ, ମୁଁ ସମ୍ପୂର୍ଣ୍ଣ ଶକ୍ତିହୀନ,

    ମୋ ଦୁର୍ବଳପଣ ଦେଖି ଶୟତାନ ସହଜେ ନାଶଇ ପ୍ରାଣ । ୩ । 

     

    ମୋ ପାଇଁ ସନ୍ତାପ କଷଣ ମରଣ ଭୋଗିଛ ଯୀଶୁ ରାଜନ,

    ତବ ଶ୍ରୀଚରଣ ମହାମେରୁ ସମ ତହିଁରେ ମୋର ଶରଣ । ୪ ।

  • ବହିଲା ପ୍ରଚଣ୍ଡ ବେଗେ ପବନ, bohilaa prochondo bege pobono

    ବହିଲା ପ୍ରଚଣ୍ଡ ବେଗେ ପବନ,

    ଚତୁର୍ଦ୍ଦିଗ ଭୟେ ହେଲା ଆଚ୍ଛନ୍ନ

    ଗଭୀର ସାଗର ଢେଉ କଲ୍ଲୋଳ,

    ପ୍ରଖର ହୋଇ ଉଠିଲା ବହୁଳ ଢେଉର ପ୍ରବଳ,

    ନାବକୁ କଲା ଅତି ଟଳମଳ । ୧ ।

    ଦେଖିଣ ପ୍ରଚଣ୍ଡ ପବନ ରୀତି,

    କି ଉଦ୍‌ବେଗ ହେଲା ମନରେ ଭୀତି ହୋଇଣ ସମସ୍ତେ ମନେ ନିରାଶ,

    ଡାକ ପକାଇଲେ ହେଲୁ ବିନାଶ ବିଶ୍ୱାସର ସ୍ଥାନ,

    ହତାଶ ଭୟରେ ହେଲା ଆଚ୍ଛନ୍ନ । ୨ ।

    ମାତ୍ର ଜଣେ ସେହି ନାବରେ ଥିଲେ,

    ନିଦ୍ରାରୁ ଉଠି ରବ ଶୁଣାଇଲେ

    ଆହେ କଲ୍ଲୋଳ ଗଭୀର ସାଗର,

    ହେ ପ୍ରଚଣ୍ଡ ବାତ, ହୁଅ ସୁସ୍ଥିର

    ତାହାଙ୍କ ବଚନେ, ସମସ୍ତ ସୁସ୍ଥିର ହେଲା ତତ୍‌କ୍ଷଣେ । ୩ । 

     

    ବାୟୁ ଆଜ୍ଞାବହ ତତ୍‌କ୍ଷଣେ ହେଲା,

    ସମୁଦ୍ର ତାର କର୍ତ୍ତାକୁ ଚିହ୍ନିଲା ସମୁଦାୟ ହେଲା ଦେଖ ସୁସ୍ଥିର,

    ଉଡ଼ିଣ ଗଲା ଭୟ ଅନ୍ଧକାର ହୋଇଲା ସୁସ୍ଥିର,

    ଆକାଶ ପବନ ସମୁଦ୍ର ନୀର । ୪ ।

    ହେ ମହାମହିମ ଈଶ୍ୱର ସୁତ,

    ତବ ଆଜ୍ଞାଧୀନ ପ୍ରଚଣ୍ଡ ବାତ

    ତୁମ୍ଭ ଆଜ୍ଞା ମାନେ ସାଗର ଢେଉ,

    ପଳାଏ ପାପ ଶୟତାନ ଆଉ

    ନରକ ଜଗତ, ତୁମ୍ଭେ କରିଅଛ ସବୁ ପରାସ୍ତ । ୫ । 

     

    ଯେତେବେଳେ ମନେ ପାପ ଲହଡ଼ି,

    ପ୍ରବଳ ହୋଇ ଆସୁଥାଏ ମାଡ଼ି,

    ପ୍ରଚଣ୍ଡ ପବନ ଘୋର ଅନ୍ଧାର

    କରଇ ଦୁର୍ବଳ ବିଶ୍ୱାସ ମୋର ହେ ଯୀଶୁ ଈଶ୍ୱର

    ପଠାଇ ତୁମ୍ଭ ଆତ୍ମା କର ସୁସ୍ଥିର । ୬ ।