Blog

  • ଆହେ ପ୍ରଭୁ, ଶୁଣ ମୋ ନିବେଦନ aahe prabhu suno mo nibedono

    ଆହେ ପ୍ରଭୁ, ଶୁଣ ମୋ ନିବେଦନ । ଘୋଷା ।
     

    ମୋ ହୃଦେ ତୁମ୍ଭ ପ୍ରତି ବଢ଼ାଅ ପ୍ରେମ ଭକ୍ତି,
    ନାଶ କର ମୋହର ପାପ ତମ । ୧ ।

    ତୁମ୍ଭ ସେବାରେ ନିତି ରଖ ହେ ସ୍ଥିର ମତି,
    ସଦା କର ହେ ମୋରେ କୃପା ଦାନ । ୨ ।

    ତୁମ୍ଭ ଧର୍ମାତ୍ମା ଗୁଣ କର ମୋ ହୃଦେ ଦାନ,
    ସଦା ରଖ ହେ ହୃଦେ ତୁମ୍ଭ ପ୍ରେମ । ୩ ।

    ଶୟତାନର ନାନା ପରୀକ୍ଷା କୁକଳ୍ପନା
    ତୁମ୍ଭ ବଳରେ କର ହେ ଦମନ । ୪ ।

    ତୁମ୍ଭ କୃପାରେ ନିତି ଦିଅ ହେ ପ୍ରାଣେ ତୃପ୍ତି,
    ନୋହୁ ଅଭାବ ମୋରେ କୃପା ଦାନ । ୫ ।

    ପ୍ରଭୁ ହେ, ଏହି ମତ ମୋ ଜୀବନ ପର୍ଯ୍ୟନ୍ତ
    ପୂର୍ଣ୍ଣ କର ହେ ମନ ବାଞ୍ଛନ । ୬ ।

    ମୋତେ ଜୀବନ ଶେଷେ ନିଅ ତୁମ୍ଭ ନିବାସେ,
    ସମର୍ପି ତୁମ୍ଭ ପାଦେ ଦେହ ପ୍ରାଣ । ୭ ।

  • ମନ ଚିନ୍ତା କିପାଇଁ mono chintaa ki pain

    ମନ ଚିନ୍ତା କିପାଇଁ,

    ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ । ଘୋଷା । 
    ଯେ ମୋତେ କରିଲେ ସୃଷ୍ଟି, ରଖିଛନ୍ତି ଦୟା ଦୃଷ୍ଟି

    ଦିବା-ନିଶି ମୋର ପ୍ରତି, ଜାଣଇ ମୁହିଁ । ୧ ।
    ମୋର ମଙ୍ଗଳ କାରଣ ଯାହା ଅଟେ ପ୍ରୟୋଜନ

    ତାଙ୍କ ଇଚ୍ଛାରେ ପ୍ରଦାନ କରନ୍ତି ସେହି । ୨ । 

    ଜନ୍ମକାଳୁ ଏପର୍ଯ୍ୟନ୍ତ ଯାହାଙ୍କ ଦ୍ୱାରା ରକ୍ଷିତ 
    ଭବିଷ୍ୟତେ ସେ ନିତାନ୍ତ ଭୁଲିବେ ନାହିଁ । ୩ । 

    ତାଙ୍କଠାରେ ଆଶ୍ରା ନେଇ ନୋହିଛି ନିରାଶ କେହି,
    ତେବେ ବ୍ୟର୍ଥରେ କିପାଇଁ ଚିନ୍ତିତ ମୁହିଁ ?

    ଚିନ୍ତା କରି ସବୁ ଭାର ନ ଦେଇ ପ୍ରଭୁ ପୟର,

    ପାଇଛି କେହି ମଙ୍ଗଳ ଜାଣୁ କି ତୁହି ?

    ସର୍ବ ଚିନ୍ତା ପରିହରି ପ୍ରଭୁରେ ନିର୍ଭର କରି,

    ସେବିବି ପଦ ତାଙ୍କରି ନିଶ୍ଚିନ୍ତ ହୋଇ । ୬ ।
     
    Click the link below to listen the tune of this song
  • ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର anaadi ishwara doyaa ro saagara

    ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର

    ଅଭାବ ମୋହର କରିବେ ସେ ଦୂର,
    କି ହେତୁ ହେବି ମୁଁ ଚିନ୍ତାରେ କାତର । ଘୋଷା । 

    ସକଳ ପଥ ମୋର, ଅବସ୍ଥା ଆବର ଅଟେ ତାଙ୍କୁ ଗୋଚର,
    ଦୁର୍ଦ୍ଦଶା କାଳରେ ହୋଇବେ ସଙ୍ଗରେ ନାଶିବେ ମନରୁ ଆପଦର ଡର । ୧ । 

    ପିତାମାତା ଭ୍ରାତାଦି ଯେତେକ ସ୍ୱଜାତି ଛାଡ଼ିଲେ ନାହିଁ ଭୀତି,
    ରଖିବେ ଆବୋରି ସ୍ୱବାହୁ ବିସ୍ତାରି ନ କରିବେ ମୋତେ ଛାମୁରୁ ଅନ୍ତର । ୨ ।

    ପାପରୂପ ଗରଳ ସଂସାର ଜଞ୍ଜାଳ କଲେ ମୋତେ ବିଭୋଳ,
    ଦୁଇର ଅନଳ କରିବେ ଶୀତଳ ଢାଳି ମୋ ଉପରେ ସ୍ୱର୍ଗୀୟ ଶିଶିର । ୩ ।

    ନ ଛାଡ଼ି କୁବାଟରେ ଅଡ଼ାଇ ସୁସ୍ୱରେ ନେବେ ନିଜ ପଲରେ
    ଅମୃତ ନିର୍ଝର ଜୀବନ ଆହାର ଭୋଜନ ପାନାର୍ଥେ ଦେବେ ନିରନ୍ତର । ୪ ।

    ନିଜ ନାମ ସକାଶେ ଉଦ୍ଧାର କରିବେ ସ୍ୱପୁରେ ବାସ ଦେବେ

    ଆରେ ମନ ମୋର ତୋ ଚିନ୍ତାର ଭାର ଦେଇ ତାଙ୍କ ହସ୍ତେ ହୁଅ ତୁ ସୁସ୍ଥିର । ୫ ।

    ସୂଚୀମାଳାକୁ ଫେରନ୍ତୁ

  • achanti sarba byaapi moro sangare /ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେ

    ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେ
    ଏଣୁ ମୁହିଁ ସ୍ଥିରଚିତ୍ତ ଅନୁକ୍ଷଣରେ । ଘୋଷା ।

    ହେବେ ସେ ସଙ୍ଗୀ ମୋହର, ଘୁଞ୍ଚିବ ସର୍ବ ଡର
    ଭୟ ନୋହିବ ମୋ ମନ ଗଲେ ଅନ୍ଧାରେ ା ୧ ।

    ଘେରିଲେ ହେଁ ଘୋର କ୍ଳେଶ ନୋହିବି ମୁଁ ନିରାଶ
    ସର୍ବକାଳେ ନିର୍ଭର ମୁଁ ଦେବି ପ୍ରଭୁରେ ା ୨ ।

    ମୃତ୍ୟୁଚ୍ଛାୟାର ପଦାରେ ମୋର ଗମନ ହେଲେ,
    ଭୟ ଜାତ ନୋହିବ ଯେ ମୋର ମନରେ ା ୩ ।

    ଶୁଣିବେ ସେ ମୋ ପ୍ରାର୍ଥନା, ଫେଡ଼ିବେ ମୋ ଯାତନା,
    ସର୍ବଦା ହୋଇବେ ସଙ୍ଗୀ ଘରେ ବାହାରେ ା ୪ ।

    ସର୍ବବ୍ୟାପୀ ଏହି ବାଣୀ ହୃଷ୍ଟ ମୁଁ ମନେ ଗୁଣି
    ସର୍ବଦା ହେଜିବି ପ୍ରଭୁ ମୋର ସଙ୍ଗରେ ା ୫ ।

    ସୂଚୀମାଳାକୁ ଫେରନ୍ତୁ

  • ଆହା, କେଡ଼େ ଭାଗ୍ୟବାନ ପ୍ରଭୁ ଭକ୍ତଗଣ aahaa kede bhaagyabano prabhu bhaktagana

    ଆହା, କେଡ଼େ ଭାଗ୍ୟବାନ ପ୍ରଭୁ ଭକ୍ତଗଣ !

    କେତେ ନିଶ୍ଚିତ ଅଟଇ ତାଙ୍କର ରକ୍ଷଣ      ା ଘୋଷା ।

    ସର୍ବଶକ୍ତିମାନ ସଙ୍ଗେ ଅନୁକ୍ଷଣ,
    ଦୁର୍ଦ୍ଦଶାରେ ଭୟ ମନେ ନୁହଇ ଉତ୍ପନ୍ନ 
    ତାଙ୍କର ଅସୀମ ଭ୍ରାନ୍ତିଶୂନ୍ୟ ଜ୍ଞାନ,     ା ୧ ।

    କରୁଥାଏ ସଦା ତାଙ୍କୁ ପଥ ପ୍ରଦର୍ଶନ 
    ବିଦେଶରେ ଗତି କଲେ ନାହିଁ ଭୀତି,     ା ୨ ।

    ସର୍ବତ୍ର ନିର୍ବିଘ୍ନେ ତାଙ୍କୁ କରାନ୍ତି ଗମନ 
    ସମୁଦ୍ର ଗମନେ ଭୟ ନୁହେଁ ମନେ,     ା ୩ ।

    ଯେଣୁ ସେ ସମୁଦ୍ର ଢେଉ ତାଙ୍କ ଆଜ୍ଞାଧୀନ 
    ଦୁର୍ଦ୍ଦଶା, ଦୁର୍ଗତି, ମରଣ ଓ ଭୀତି,    ା ୪ ।

    ଏ ସର୍ବରେ ତାଙ୍କ ପ୍ରତି ନିତ୍ୟ ଆବରଣ     ା ୫ ।

    ଘଟିଲେ ମରଣ ଭୟ କି କାରଣ 
    ରହିବେ ପ୍ରଭୁଙ୍କ ସଙ୍ଗେ ସଙ୍ଗେ ଅନୁକ୍ଷଣ   ା ୬ ।
  • ବ୍ୟସ୍ତ କିମ୍ପା ମନ byasta kimpa mono

    ବ୍ୟସ୍ତ କିମ୍ପା ମନ ?

    ଧର ପ୍ରଭୁ ଚରଣେ ଶରଣ । ଘୋଷା । 

    ମନରେ ବିବେଚି ଦେଖ, ସେ ତୋର ପ୍ରତିପାଳକ,
    ଅଭାବ ନୋହିବ କେବେ ତାଙ୍କ ଅନୁଗ୍ରହ ଦାନ । ୧ ।

    ସେ କୋମଳ ତୃଣ ସ୍ଥାନେ କରାନ୍ତି ତୋରେ ଶୟନ
    ସ୍ଥିର ଜଳ ନିକଟରେ କରନ୍ତି ତୋତେ ପାଳନ । ୨ । 

    ମୃତ୍ୟୁଚ୍ଛାୟାର ପଦାରେ ତୋହର ଭ୍ରମଣ ହେଲେ,
    କୌଣସି ଆପଦେ ମନେ ନୋହିବ ହେ ଶଙ୍କା ଜନ୍ମ । ୩ ।

    କାରଣ ସେ ମିତ୍ର ତୋର, ଅଟନ୍ତି ଢାଲ ଆବର,
    ଦିଅନ୍ତି ସାନ୍ତ୍ୱନା ମୋତେ ତାଙ୍କର ବାଡ଼ି ପାଞ୍ଚଣ । ୪ । 

    ଏ କଥା ନିଶ୍ଚେ ଅଟଳ, ଜୀବନ ଯାଏ ମୋହର 
    ଅନୁଗ୍ରହ ମଙ୍ଗଳ ମୋ ପଛେ କରିବ ଗମନ । ୫ ।

    Click the link below to lisitto listen full song and konw the tune
  • ଆସ ଆସ ବନ୍ଧୁ, ଆସ ହେ ଆନନ୍ଦେ, aaso aaso bandhu aaso he aanande

    ଆସ ଆସ ବନ୍ଧୁ, ଆସ ହେ ଆନନ୍ଦେ,

    ଆସ ଆଜି ଏକ ହୋଇବା,
    ଜଗଜ୍ୟୋତିଃ-ପତି ପତିତପାବନେ, ଆସ ଆଜି ପୂଜା କରିବା । ଘୋଷା । 

    ମାନ ଅଭିମାନ ଭୁଲି ବହନ ଆସ ହେ ସରବେ ପ୍ରୀତି ଭରେ,
    ପ୍ରେମ ଫୁଲ ତୋଳି ଭରିଣ ଅଞ୍ଜଳି ନିବେଦିବା 
    ପ୍ରେମମୟଙ୍କର ସୁନ୍ଦର ଶରୀରେ ପ୍ରେମ-ଫୁଲହାର ଛନ୍ଦିବା । ୧ ।

    ସୁଭକତି-ପ୍ରେମ-ଫୁଲ-ଚନ୍ଦନ ଆଣ ପ୍ରତି ହୃଦ-ଚାଙ୍ଗୁଡ଼ିରେ,
    ମନର ଆନନ୍ଦେ, ସେ ଯୁଗଳ ପଦେ ସଜାଇବା,
    ଶକ୍ତିମୟଙ୍କର ଶକତି କଣିକା, ବର ଆଜି ଯାଚି ଘେନିବା । ୨ ।

    ବାଦ ବିସମ୍ବାଦ ଛାଡ଼ି ସୁହୃଦେ ଆସ ହେ, ଆସ ହେ,
    ଏକ ଚିତ୍ତେ, ସାରା ଜୀବନର ଅଭାବ ନିକର ଜଣାଇବା,
    ଦୟାମୟଙ୍କର ଦୟା-ସିଂହାସନ ଆରତିରେ ଆଜି ଟଳାଇବା । ୩ ।

    ଛାଡ଼ି ଏ ସଂସାର ସୁଖ ଅସାର ପାଦ ତଳେ ତାଙ୍କ ପଡ଼ିଥିବା,
    ହୃଦୟର କଥା ତାଙ୍କ ଆଗେ ସବୁ ଜଣାଇବା,

    ପୁଣି ପ୍ରେମାବେଶେ ଶ୍ରୀପାଦ ପରଶେ ବିଘ୍ନ ଏଡ଼ି ଆଗ ବଢ଼ିବା । ୪ ।
  • ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ  bojaayee mondiraa murojo mondre

    ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ 
    ବିଭୁ ନାମ ଆଜି ଗାଅରେ,
    ଗାଅ ନରନାରୀ      ହୃଦୟ-ଯନ୍ତ୍ରେ
    ସେ ନାମ ମହିମା ଗାଅରେ     ା ୦ ।

    ଗାଏ କୋକିଳ ତାନ ପଞ୍ଚମେ ବିଭୁ ନନ୍ଦନ ଭୁବନେ
    ତରୁ ଶିହରେ,           ତଟିନୀ ଧୀରେ
    ବିଭୁ ପ୍ରେମାବେଶେ ଧାଏଁରେ    ା ୧ ।

    ସବୁ ବିଦ୍ୱେଷ ଦୂରେ ପରିହରି ବିଶ୍ୱ ମଙ୍ଗଳେ ମାତି,
    ସବୁଠୁ ଉଠୁଛି ଯେ ଭାବର ଗାନ ସେହି ସଙ୍ଗୀତେ ମାତି,
    ଆରେ ପରାଣ        ମୁଗ୍ଧ ଅବଶ
    ନବ ଉଦ୍ୟମେ ଉଠରେ,
    ବିଭୁ ଗୌରବ         ଆସରେ ସର୍ବେ
    ଆଜି ନବ ଭାବେ ଗାଅରେ      ା ୨ ।

  • ଜୟ ଯୁବାମେଷ ଯୀଶୁ ଜଗତ ଜୀବନ, jaya jubamesho jishu jagata jibana

    ଜୟ ଯୁବାମେଷ ଯୀଶୁ ଜଗତ ଜୀବନ,
    ବିଶ୍ୱଜନ-ମନ-ମୋହନ ମନ୍ତର ତୁମ୍ଭ ସୁଧାମୟ ନାମ । ଘୋଷା ।


    ପାପୀ-ଆଶାଘର ପ୍ରେମ ଅକୂପାର ଦୀନ ଦରିଦ୍ର ଶରଣ,
    ଯୋଗୀ-ଜପମାଳ ରଙ୍କ-ରତ୍ନଥାଳ, ଅନନ୍ତ ଜୀବନ ଧନ । ୧ ।


    ନିରାଶ-ପରାଣ-ଆଶା-ଉଦ୍ଦୀପନ ସମୃଦ୍ଧି ସୁଖସଦନ,
    ଦୁଃଖୀ ଦୁଃଖ-ବୁହା ପାପ-ପଙ୍କଧୁଆ, ଜୟ ତ୍ରିଲୋକପାବନ । ୨ ।


    ଦିଅ ଦରଶନ ହେ ଜୀବଜୀବନ ମୁଁ ଯେ ଅତି ଅକିଞ୍ଚନ,
     ସନ୍ତାପହରତା ତ୍ରିଏକ ବିଧାତା, ପୂର୍ଣ୍ଣ କର ମନସ୍କାମ । ୩ ।

     

  • କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ kara aahe naragana ishwaranka guno gaano

    କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ   
    ସେହି ସର୍ବ ସୃଷ୍ଟିକର୍ତ୍ତା ତ୍ରୈଲୋକ୍ୟ ମହାରାଜନ         ା ଘୋଷା ।

    ସେହି ଅନାଦି ଅନନ୍ତ ସେହି ମହତ୍ତ୍ୱ ବିଶିଷ୍ଟ,
    ହୁଅ ସର୍ବ ପ୍ରାଣୀ ଭୀତ           କର ତାଙ୍କ ଆରାଧନା            ା ୧ ।

    ସେହି ସର୍ବ ପରିତ୍ରାତା            ସେ ମହା ମଙ୍ଗଳଦାତା,
    ସେହି ପ୍ରତିଫଳଦାତା କର ତାଙ୍କ ଆରାଧନା            ା ୨ ।

    ସେହି ପ୍ରଭୁ ସର୍ବଜ୍ଞାତା            ଜାଣନ୍ତି ମନର କଥା,
    ସେହି ପ୍ରଭୁ ସର୍ବଦର୍ଶୀ କର ତାଙ୍କ ଆରାଧନା            ା ୩ ।

    ସେହି ସର୍ବ ଶକ୍ତିମାନ ଦୟାରେ ସେ ବିଭୂଷଣ,
    ସେ ଅଟନ୍ତି ସର୍ବବ୍ୟାପୀ          କର ତାଙ୍କ ଆରାଧନା            ା ୪ ।

    ସେହି ମହା ପରାକ୍ରମୀ           ଅଟନ୍ତି ଜଗତସ୍ୱାମୀ,
    ଆମ୍ଭେ ସର୍ବେ ତାଙ୍କ ସୃଷ୍ଟ         କର ତାଙ୍କ ଆରାଧନା            ା ୫ ।

    ଆହେ ସର୍ବ ନରଗଣ ଗାଅ ତାଙ୍କ ଗୁଣଗାନ,
    କେବଳ ପ୍ରଭୁ ଯିହୋବା          ଆରାଧନାକୁ ଭାଜନ ା ୬ ।